Article

୨୦୪୦ ସୁଦ୍ଧା ଦିଲ୍ଲୀରେ ୨୦% କମିବ ପିଏମ୍ ୨.୫ ପ୍ରଦୂଷଣ ଭାର, ବିଳମ୍ବ ହେଲେ ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ ପଡ଼ିବ ଗୁରୁତର ପ୍ରଭାବ: ୟୁଏନ୍ଇପି ରିପୋର୍ଟ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଯଦି ୨୦୨୬ରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜାତୀୟ ବାୟୁ ଗୁଣବତ୍ତା ମାପଦଣ୍ଡ ହାସଲ କରିପାରେ, ତେବେ ୨୦୪୦ ସୁଦ୍ଧା ଏଠାରେ ବାୟୁ ପ୍ରଦୂଷଣଜନିତ ”ପିଏମ୍୨.୫” ସଂସ୍ପର୍ଶ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଭାର ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଏହି ନିୟମ କାର୍ଯ୍ୟକାରୀ କରିବାରେ ଯଦି ୮ ବର୍ଷର ବିଳମ୍ବ ଘଟେ, ତେବେ ପ୍ରଦୂଷଣ ହ୍ରାସ ମାତ୍ର ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିବ, ଯାହା ଦ୍ୱାରା ନାଗରିକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପଡ଼ିବ। ସୋମବାର ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଏବଂ ”କ୍ଲାଇମେଟ୍ ଆଣ୍ଡ୍ କ୍ଲିନ୍ ଏୟାର କୋଆଲିସନ୍” ପକ୍ଷରୁ ମିଳିତ ଭାବେ ପ୍ରକାଶିତ ”ହିଡେନ୍ ଆସେଟ୍ସ: ଦି ଇକୋନୋମିକ୍ ଆଣ୍ଡ୍ ହେଲ୍ଥ କେସ୍ ଫର୍ କ୍ଲାଇମେଟ୍ ଆଣ୍ଡ୍ କ୍ଲିନ୍ ଏୟାର ଆକ୍ସନ୍” ଶୀର୍ଷକ ବିଶ୍ୱସ୍ତରୀୟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟରେ ୨୫ଟି ବ୍ୟବହାରିକ ପଦକ୍ଷେପ ଚିହ୍ନଟ
ଏହି ରିପୋର୍ଟଟି ଜଳବାୟୁ ଏବଂ ସ୍ୱଚ୍ଛ ବାୟୁ ଅଭିଯାନର ମିଳିତ ପ୍ରଭାବ ଉପରେ ଆଧାରିତ ପ୍ରଥମ ବ୍ୟାପକ ଆର୍ଥିକ ଆକଳନ। ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାର ଏକାକାଳୀନ ସମାଧାନ ପାଇଁ ରିପୋର୍ଟରେ ୨୫ଟି ବ୍ୟବହାରିକ ପଦକ୍ଷେପ ଚିହ୍ନଟ କରାଯାଇଛି। ଏଥିମଧ୍ୟରେ ଅକ୍ଷୟ ଶକ୍ତି, ଶକ୍ତି ଦକ୍ଷତା, ସ୍ୱଚ୍ଛ ରୋଷେଇ ଓ ଉତ୍ତାପ ବ୍ୟବସ୍ଥା ଏବଂ ଯାନବାହାନରୁ ନିର୍ଗତ ଧୂଆଁ ଉପରେ କଡ଼ା କଟକଣା ପ୍ରମୁଖ ସାମିଲ ରହିଛି। ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କଲେ ୨୦୩୫ ସୁଦ୍ଧା ବିଶ୍ୱ ଜିଡିପିର ୨.୮ ପ୍ରତିଶତ, ୨୦୫୦ ସୁଦ୍ଧା ୪.୫ ପ୍ରତିଶତ ଏବଂ ୨୧୦୦ ସୁଦ୍ଧା ୧୧.୪ ପ୍ରତିଶତ ବାର୍ଷିକ ଆର୍ଥିକ ଫାଇଦା ମିଳିପାରିବ।

ଅନ୍ୟପଟେ, ଏହି ନୀତିଗୁଡ଼ିକୁ ଲାଗୁ କରିବାରେ ବାର୍ଷିକ ବିଳମ୍ବ ହେଲେ ବିଶ୍ୱ ଜିଡିପିର ୦.୫ ପ୍ରତିଶତରୁ ଅଧିକ ଆର୍ଥିକ କ୍ଷତି ସହିବାକୁ ପଡ଼ିବ, ଯାହା ପ୍ରାୟ ୧.୫ ଟ୍ରିଲିୟନ୍ ଆମେରିକୀୟ ଡଲାର ସହ ସମାନ। ବିଶ୍ୱସ୍ତରରେ ଅନୁଷ୍ଠାନିକ କଟକଣା ଏବଂ ନୀତିଗତ ସମସ୍ୟା ଯୋଗୁଁ ଯୋଜନା କାର୍ଯ୍ୟକାରୀ ହେବାରେ ହାରାହାରି ୭.୫ରୁ ୮ ବର୍ଷର ବିଳମ୍ବ ଘଟିଥାଏ। ଯଦି ଏହିପରି ବିଳମ୍ବ ଜାରି ରହେ, ତେବେ ୨୦୩୫ ସୁଦ୍ଧା ହାସଲ ହେବାକୁ ଥିବା ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ଅଧା ହୋଇଯିବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *